କୋର୍ଟରେ ଚଳିବନି AI ର ଚାଲାକି! । ନକଲି ଆଇନ ଉଦାହରଣ ଦେଲେ ଓକିଲାତି । AI ର “ଭ୍ରମ” କୁ ନେଇ ସୁପ୍ରିମ ଚେତାବନୀ। AI ଦ୍ୱାରା ପ୍ରସ୍ତୁତ ନକଲି ଆଇନ ଉଦାହରଣ ଦେଲେ ଓକିଲଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । NCLT ର ରାୟକୁ ରଦ୍ଦ କଲେ କୋର୍ଟ। କୋର୍ଟ କାର୍ଯ୍ୟରେ AI ର ଅପବ୍ୟବହାରକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ଏବଂ ଐତିହାସିକ ସଂଶୋଧନ କରିଛନ୍ତି ।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କୌଣସି ଓକିଲ ଯଦି ବିନା ଯାଞ୍ଚରେ AI ଦ୍ୱାରା ପ୍ରସ୍ତୁତ ନକଲି କିମ୍ବା କାଳ୍ପନିକ ମାମଲାର ଉଦାହରଣ କୋର୍ଟରେ ଉପସ୍ଥାପନ କରନ୍ତି, ତେବେ ତାହାକୁ Professional Misconduct ବୋଲି ଧରାଯିବ । ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଜଷ୍ଟିସ୍ ପି.ଏସ୍. ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଦୁଇଜଣିଆ ଖଣ୍ଡପୀଠ NCLT (National Company Law Tribunal) ର ଏକ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ରଦ୍ଦ କରିଦେଇଛନ୍ତି। କାରଣ ଏହି ଟ୍ରିବ୍ୟୁନାଲ୍ ନିଜ ରାୟରେ AI ଦ୍ୱାରା ପ୍ରସ୍ତୁତ କେତେକ ଭ୍ରମାତ୍ମକ ତଥ୍ୟର ସାହାରା ନିଆଯାଇଥିଲା।
AI ର ଭ୍ରମାତ୍ମକ ତଥ୍ୟ କୋର୍ଟ ରକର୍ଡରେ ସ୍ଥାନ ପାଇବାକୁ ନେଇ ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ ଏହାକୁ ଦୁନିଆର ସବୁଠାରୁ ବଡ଼ ଗ୍ୟାସ ଦୁର୍ଘଟଣା ସହ ତୁଳନା କରି କହିଛନ୍ତି। “AI ଦ୍ୱାରା ପ୍ରସ୍ତୁତ ଏହି ନକଲି ଏବଂ ମିଥ୍ୟା ତଥ୍ୟଗୁଡ଼ିକୁ ଆଇନ ପ୍ରକ୍ରିୟାରେ ବ୍ୟବହାର କରିବା, ନ୍ୟାୟ ବ୍ୟବସ୍ଥାରେ ‘ମିଥାଇଲ୍ ଆଇସୋସାଇନେଟ୍’ ଗ୍ୟାସ ନିର୍ଗତ ହେବା ସଦୃଶ। ଏହା ଅଦୃଶ୍ୟ, କପଟପୂର୍ଣ୍ଣ ଏବଂ ବିନାଶକାରୀ।
ଏହା ଚିହ୍ନଟ ହେବା ପୂର୍ବରୁ ସମ୍ପୂର୍ଣ୍ଣ ଆଇନ ବ୍ୟବସ୍ଥାକୁ ପ୍ରଦୂଷିତ କରିସାରିଥାଏ ଏବଂ ନ୍ୟାୟିକ ନିଷ୍ପତ୍ତିର ମୂଳଦୁଆକୁ ଉଜାଡ଼ି ଦିଏ ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ରାୟରେ ସାମାନ୍ୟତମ AI-ଜନିତ ନକଲି ତଥ୍ୟ ଥାଏ, ତେବେ ସମ୍ପୂର୍ଣ୍ଣ ରାୟକୁ ତୁରନ୍ତ ରଦ୍ଦ କରାଯିବ। ଭବିଷ୍ୟତ ପାଇଁ କୋର୍ଟ କିଛି କଡ଼ା ନିୟମ ଜାରି କରିଛନ୍ତି। ବିନା ଯାଞ୍ଚରେ AI-ଜନିତ ନକଲି ତଥ୍ୟ କୋର୍ଟରେ ଉପସ୍ଥାପନ କଲେ ତାହାକୁ ‘ପ୍ରଫେସନାଲ ମିସକଣ୍ଡକ୍ଟ’ ବୋଲି ଧରାଯିବ।
ରାୟ ଲେଖିବା ବେଳେ ଯାଞ୍ଚ ନକରି AI ରିସର୍ଚ୍ଚ ଉପରେ ଭରସା କରିବା ଏକ ଗମ୍ଭୀର ନ୍ୟାୟିକ ତ୍ରୁଟି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସେମାନେ AI ବ୍ୟବହାରର ବିରୋଧୀ ନୁହନ୍ତି, କିନ୍ତୁ କୋର୍ଟର ନିଷ୍ପତ୍ତି ଉପରେ କେବଳ ମାନବୀୟ ଚିନ୍ତାଧାରା ଓ ବିବେକର “ସମ୍ପୂର୍ଣ୍ଣ ନିୟନ୍ତ୍ରଣ” ରହିବା ଆବଶ୍ୟକ। ଆଇନ କ୍ଷେତ୍ରରେ AI ବ୍ୟବହାରର ସୀମା ଏବଂ ଚ୍ୟାଲେଞ୍ଜଗୁଡ଼ିକର ସମୀକ୍ଷା କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବା ସହ ଏକ କଡ଼ା ନିୟମାବଳୀ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ BCI କୁ ଆଦେଶ ଦେଇଛନ୍ତି।
